Unknown

 

 

 

 

 

 

 

 

 

ଗୁଣ୍ଡିଚା ଭାବନା ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(କବି ଦୀନକୃଷ୍ଣ ଥିଲେ ପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ । ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ବାରମାସରେ ତେରଯାତକୁ ଦେଖି ସେ ତାଙ୍କ ଜୀବନକୁ ଧନ୍ୟ କରିଛନ୍ତି । କୌଣସି କାରଣରୁ କବି ଗୋଟିଏ ବର୍ଷ ଗୁଣ୍ଡିଚା ଯାତ ଓ ସ୍ନାନ ଉତ୍ସବ ଦେଖିବାରୁ ବଞ୍ଚିତ ହୋଇ ଗଭୀର ମନସ୍ତାପରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କୁର ଏହି ମନବେଦନାକୁ ସଖା ଆଗରେ ପ୍ରକାଶ କରିଛନ୍ତି । ଭଗବାନଙ୍କୁ ଭକ୍ତ ଦର୍ଶନ ନ କରିବାର ଯନ୍ତ୍ରଣା ତାକୁ ଅହରହ ସନ୍ତାପିତ କରିଛି । କବି ଚିତ୍ତର ଏହି ମାର୍ମିକ ଅଭିବ୍ୟକ୍ତି ପ୍ରକାଶିତ ହୋଇଛି ଚଉତିଶାଟିରେ । ଏଥିରେ କବିଙ୍କର ଭକ୍ତିମତ୍ତା ଓ ପାଣ୍ଡିତ୍ୟ ଅନନ୍ୟ ଭାବେ ଫୁଟି ଉଠିଛି ।)

(ଦିଗ- ସିନ୍ଧୁଡ଼ା)

କହ କହ ଆହେ ସଙ୍ଗାତ ସତେ ହେଁ ଜୀବନରେ ଆମ୍ଭେ ଥିବା

କୋଟି ବ୍ରହ୍ମାଣ୍ଡନାଥର ଶ୍ରୀଗୁଣ୍ଡିଚା ଯାତ୍ରା ଉତ୍ସବ ଦେଖିବା ସେ

କୃପା କରିବା ସତେ

କାମପାଳ ସୁଭଦ୍ରା ସେ । କରିଛାଇଁ ଭାଗ୍ୟ ଆମ୍ଭେ ଏତେ ହେ

କରି ହୋଅଇକି ମନେ ପ୍ରତେ ସେ ।୧।

 

ଖେଳିଲା କେଶରୀ ପ୍ରାୟେ ନୀଳଗିରି ଶିଖୁଁ ପଡ଼ୁଥିବେ ଖସି ଖଟାଙ୍ଗ

ଖଟାଙ୍ଗ-ଧର କରିବେ ସେହି କାଳେ ଦେଖିବା ସେ ସୁଖରାଶି ସେ

କ୍ଷଣ କ୍ଷଣକେ ଲୀଳା

ଖେଦ ସାଗର ତରିବା ଭେଳା ସେ । ଖର ପାତଳ ତିମିର ହୁଳାସେ

ଖଣ୍ଡେ ଅଶେଷ ସନ୍ତାପ ଜ୍ଜ୍ୱାଳା ସେ ।୨।

 

ଗଙ୍ଗା ଯମୁନା ସରସ୍ୱତୀ ପରାୟେ ତିନିଗତି ଏକା ଲାଗେ

ଗଜପତି ପଟ୍ରୋଆର କରୁଥିବେ ଭଗୀରଥ ପ୍ରାୟେ ଆଗେ ସେ

ଗହ ଗହ ଗହଳ

ଗୀତ ବାଦ୍ୟ ନାଦଙ୍କ ପ୍ରବଳ ସେ । ଗଞ୍ଜୁଥିବ, ସମୁଦ୍ର ଚହଳ ସେ

ଗଲେ ସିନା ଦେଖିବା ସେ କାଳ ସେ ।୩।

 

ଘୋର ବରଷା ବଢ଼ି ନଦୀ ସମୁଦ୍ର ମିଶିଲା ପରାୟେ ହୋଇ

ଘନ ଘନ ହରି ଧ୍ୱନି କି ବିସ୍ତାରି ପଶୁଥିବେ ଲୋକେ ଯାଇଁ ସେ

ଘନଶ୍ୟାମ ସୁନ୍ଦର

ଘେନି ଚଉବର୍ଗ ସଙ୍ଗରେ ସେ । ଘନ ଘନ କରାଇବ ଜୂର ଯେ

ଘେନି ଘଟିଥିବେ ସୁର ନର ସେ ।୪।

 

ନୀଚ ଉଚ୍ଚ ନାନା ସ୍ଥାନରେ ଯେମନ୍ତ ଚନ୍ଦ୍ର କିରଣ ସମାନ

ନୀଳାଦ୍ରିଚନ୍ଦ୍ରମା ଦାନ ସେହିମତି ସେହି ରୂପେ ଅବଧାନ ସେ

ନୋହିଲେ କି ଈଶ୍ୱର

ନବପଞ୍ଚ ଲୋକେ ଅଳଙ୍କାର ସେ । ନାନା ଥିବ ଯହିଁ ଏକାକାର ସେ

ନାହିଁ ନାହିଁ ଯେ ଧାଉ ଦୋସର ସେ ।୫।

 

ଚତୁର୍ଦ୍ଦଶ ଲୋକ ନୟନ ସମ୍ପତ୍ତି ମହା ସମ୍ଭାରେ ବିଜୟେ

ଚାହୁଁ ଚାହୁଁ ପ୍ରତି ଅଙ୍ଗକୁ କଦମ୍ବ କୁସୁମ ପ୍ରାୟେ ସେ

ଚିତ୍ତ ଚକୋର ଚାନ୍ଦ

ଚିନ୍ତା ପଦ୍ମବନ ଗଜଇନ୍ଦ୍ର ସେ । ଚରାରେ ପାଳିବାରେ ଇନ୍ଦ୍ର ସେ

ଚିନ୍ତାମଣି ପର୍ବତ ପାରୀନ୍ଦ୍ର ସେ ।୬।

 

ଭାବାର୍ଥ- (୧-୬) ପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ ଦେଖିବାରୁ ବଞ୍ଚିତ କବି କ୍ଷୋଭର ସହ ନିଜର ସଖାଙ୍କୁ କହିଛନ୍ତି- ହେ ସଙ୍ଗାତ, ସତେ କ’ଣ ଆମେ ଜୀବନରେ ଥିବା ? କୋଟିବ୍ରହ୍ମାଣ୍ଡ ନାଥ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଉତ୍ସବ ଦେଖିପାରିବା ? ପ୍ରଭୁ କ’ଣ ଏଥିପାଇଁ ଦୟା କରିବେ ? ବଳରାମ ସୁଭଦ୍ରାଙ୍କ ସହିତ ତାଙ୍କୁ ରଥରେ ଦର୍ଶନ କରିବା ଆମ ଭାଗ୍ୟରେ ଅଛି ? ମନରେ କାହିଁ ଏଇ ବିଶ୍ୱାସ ଆସୁନାହିଁ । ନୀଳଗିରି ଶିଖର ଦେଶରୁ ଖେଳିଲା ସିଂହସଦୃଶ ଜଗନ୍ନାଥ ସିଂହାସନରୁ ଡେଇଁ ପଡ଼ୁଥିବା ଦୃଶ୍ୟ ଯିଏ ଦେଖିଛି, ତା’ର ସୁଖ ଅସୀମ । ପ୍ରଭୁଙ୍କର କ୍ଷଣକ୍ଷଣକର ଲୀଳା ସନ୍ଦର୍ଶନରେ ଆମେ ପବିତ୍ର ହୋଇଥା’ନ୍ତେ । ଖେଦ-ସାଗର ପାର ହେବାକୁ ସେ ଭେଳା ସଦୃଶ । ସେ ମନୁଷ୍ୟର ସମସ୍ତ ସନ୍ତାପ-ଜ୍ୱାଳାକୁ ଦୂର କରୁଛନ୍ତି । ତିନିଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପବିତ୍ର ଗଙ୍ଗା, ଯମୁନା ଓ ସରସ୍ୱତୀ ପ୍ରାୟ । ଗଜପତି ପଟୁଆର କରି ଠାକୁରଙ୍କ ଆଗେ ଆଗେ ଭଗୀରଥଙ୍କ ପରି ଯାଉଥିବେ । ଗହଳ ଚହଳରେ ବଡ଼ଦାଣ୍ଡ ଫାଟି ପଡ଼ୁଥିବ । ଗୀତ, ବାଦ୍ୟଦାନରେ ସମୁଦ୍ର ଚହଳକୁ ପଛରେ ପକାଇ ଦେଉଛି । ସେଠାକୁ ଗଲେ ସେ ଦୃଶ୍ୟକୁ ଦେଖିବା । ଘୋର ବର୍ଷାକାଳରେ ବଢ଼ିଲା ନଈ ସମୁଦ୍ରରେ ମିଶିବା ପ୍ରାୟ, ଲୋକଙ୍କ ଘନଘନ ହରିଧ୍ୱନି ଚାରିଆଡ଼େ ଶୁଭୁଥିବ । ପ୍ରଭୁ ଜଗନ୍ନାଥ ଚଉବର୍ଗ (ଧର୍ମ, ଅର୍ଥ, କାମ, ମୋକ୍ଷ) ନେଇ ଧରାପୃଷ୍ଠକୁ ଓହ୍ଲାଇ ଆସିବେ । ଲୋକଙ୍କ ଜୟକାର ଧ୍ୱନିରେ ଜଗତ ମୁଖରିତ ହେବ ।

 

ଚନ୍ଦ୍ରକିରଣ ଯେମିତି ଉଚ୍ଚନୀଚ ସ୍ଥାନ ସବୁଠି ପଡ଼ିଥାଏ, ସେହିପରି ପ୍ରଭୁ ନୀଳାଦ୍ରିଚନ୍ଦ୍ରମା ଜଗନ୍ନାଥ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ଚଉଦ ଭୁବନର ଅଳଙ୍କାର ସେ । ଏ ପବିତ୍ର ଭୁବନରେ ସମସ୍ତେ ଏକାକାର ହୋଇଥିବେ । ଚଉଦ ଭୁବନର ନୟନ ସମ୍ପତ୍ତି ମହାସମ୍ଭାରରେ ବଡ଼ ଦାଣ୍ଡକୁ ବିଜେ କରୁଛନ୍ତି । ଚାହୁଁ ଚାହୁଁ ସମସ୍ତଙ୍କ ହୃଦୟକୁ କଦମ୍ବ କୁସୁମ ପରି ପ୍ରଫୁଲ୍ଲତ କରିଦେବେ-। ପ୍ରଭୁଙ୍କ ମୁଖଚନ୍ଦ୍ରକୁ ଲୋକମାନେ ଚକୋର ଭଳି ଚାହିଁ ରହିଛନ୍ତି । ଚିନ୍ତାରୂପକ ପଦ୍ମବନକୁ ଦଳି ଦେବାରେ ସେ ଗଜଇନ୍ଦ୍ର ସ୍ୱରୂପ । ଚରାଚର ପାଳନ କରିବାରେ ଇନ୍ଦ୍ର ସେ । ଚିନ୍ତାମଣି ରୂପକ ପର୍ବତ, (ପାରୀନ୍ଦ୍ର) ସିଂହ ପରି ଶକ୍ତିମାନ ।

 

ଛାର ସମୁଦ୍ର ଉଛୁଳିଲା ପ୍ରାୟେ ସେ ଛତ୍ର ଚାମର ଦିଶିଲା

ଛୁରୀ ଖଣ୍ଡାଧରି ଖଟଣୀ ସାମନ୍ତ ଅଭୟେ ପାଶେ ମିଶିବା ସେ

ଛତ୍ରବର ଗ୍ରହଣ

ଛିତି ଦେବୀ ଶିର ଆହରଣ ସେ । ଛୋଉ ଜଳନିଧି ଉଦ୍ଧାରଣ ହେ

ଛାଡ଼େ ଭାବିଲେ ଭବ କଷଣ ସେ ।୭।

 

ଯମୁନାଜଳେ ଫୁଟିଲା ପଦ୍ମଫୁଲ ପ୍ରାୟେ ସେ ବିସ୍ତାର ଆଖି

ଯେମନ୍ତ ସୁନ୍ଦର କଳା ଶ୍ରୀମୁଖକୁ ନେତ୍ର ହିଁ ତହିଁ କି ସାକ୍ଷୀ ସେ

ଯଉଁ ଭାବେ ଢଳିବା

ଯଉଁରୂପେ ଦୁଃଖକୁ ବଳିବା ସେ । ଯେତେ ପ୍ରକାରେ ସୁଖ ପାଳିବାରେ

ଜାଣି ନୋହଇ ତାହା ଜଳିବା ସେ ।୮।

 

ଝଟକେ ବିଜୁଳି ପ୍ରାୟେ ଅଙ୍ଗ ଢାଳି ବାରସୁନ୍ଦରୀଙ୍କ ନାଟ

ଝଲ ଝଲ ଫୁଲ ବୃଷ୍ଟି ନିରନ୍ତରେ ଅଗର ଧୂପ ଚହଟ ସେ

ଝଳି କଂସାଳ ଢାଳ

ଝମ୍ ଝମ୍ ଝଞ୍ଜାଳ ମର୍ଦ୍ଦଳ ସେ । ଝଳି ବାଜିବା ନାଦ ପ୍ରବଳ ସେ

ଝାମ୍ପିଥିବ ଗଗନ ମଣ୍ଡଳ ସେ ।୯।

 

ନିବିଡ଼ ଅନ୍ଧାରେ ପଡ଼ିଲେ ଯେମନ୍ତ ଅନ୍ଧାରୁ ଆନ ନ ଦିଶେ

ନବଘନ ଶ୍ୟାମସୁନ୍ଦର ଶ୍ରୀମୁଖ ଦର୍ଶନ ହିଁ ସେହି ଆଶେ ସେ

ନାନା ଦେଶ ନୃପତି

ନାନା ସଜୁ ହିଁ ଯୁବାଯୁବତୀ ସେ । ନିରନ୍ତରେ ପୂରୁ ଥିବେ ଛିତି ସେ

ନେତ୍ର ଦେଖଇ ସେହି ମୂରତି ସେ ।୧୦।

 

ଟଳିବ ସତେ ହେଁ ଦୁର୍ଦ୍ଦଶା ଆମ୍ଭର ଦେଖିବା ଯାଇ ସେ ସଜ

ଟେକ ଖୋସିଥିବେ ପୁର୍ବାବଳି ଶିରେ ଦେବାଧିଙ୍କ ଦେବରାଜ ସେ

ଟେକ ନେତ୍ର ଚାହାଣୀ

ଟେକ ଶ୍ରୀକର ବଇଠି ଠାଣି ସେ । ଟକାଟକି ଓଲାଣି ଉଠାଣି ସେ

ଟାକି ଦେଖନ୍ତି ସୁକୃତି ପ୍ରାଣୀ ସେ ।୧୧।

 

ଠାକୁର ପଣ ମହିମା କି କଳିବି ଚନ୍ଦନୁ ଶୀତଳ ହିଆ

ପିଠିକୁ କରି ସବୁରି ମନଜାଣି କେତେ ହେଁ କରନ୍ତି ଦୟା ସେ

ଠେଲା ଠେଲିରେ ପଶି

ଠାବେ ଠାବେ ପାରୁଶରେ ମିଶି ସେ । ଠିକେ ଜଣାଇଁ ଯେତେ ଭରସି

ଠିକେ ଶୁଣନ୍ତି କର୍ଣ୍ଣ ନିବେଶି ସେ ।୧୨।

 

ଭାବାର୍ଥ- (୭-୧୨) ହେ ସଙ୍ଗାତ, ବଡ଼ ଦାଣ୍ଡର ଯେଉଁ ଜନଗହଳି, ଛତ୍ର ଚାମର ସମୁଦ୍ର ଉଛୁଳିଲା ପରି ଦିଶିଲା । ଛୁରୀ ଖଣ୍ଡା ଧରି ଖଟଣୀ ସମାନ୍ତ ପାଖରେ ମିଳିଲେ । ପ୍ରଭୁଙ୍କୁ ଧ୍ୟାନ କଲେ ସାଂସାରିକ ଦୁଃଖ ଦୂର ହେବ । ପ୍ରଭୁଙ୍କ ବିସ୍ତାରିତ ଚକ୍ଷୁ ଯମୁନା ଜଳରେ ପ୍ରସ୍ଫୁଟିତ ପଦ୍ମଫୁଲ ପ୍ରାୟ ଦେଖାଯାଉଛି । ତାହା ଯେମିତି ସୁନ୍ଦର କଳା ଶ୍ରୀମୁଖକୁ ନେତ୍ର ହିଁ ତାକୁ ସକ୍ଷୀ । ତାକୁ ଦେଖିଲେ ସବୁ ଦୁଃଖ ଦୂର ହେବ । ଯେତେ ପ୍ରକାର ସୁଖ ମିଳିବ । ତାଙ୍କ ଅଙ୍ଗ ବିଜୁଳି ପରି ଝଟକୁଛି । ବାର ସୁନ୍ଦରୀଙ୍କ ନାଟ ଯେମିତି । ନିରନ୍ତର ଭାବେ ପ୍ରଭୁଙ୍କ ଉପରେ ପୁଷ୍ପବୃଷ୍ଟି ହେଉଛି । ଅଗରୁ, ଧୂପର ବାସନାରେ ବଡ଼ଦାଣ୍ଡ ଚହଟୁଛି । କଂସାଳ, ତାଳ, ଝଞ୍ଜାଳ, ମର୍ଦ୍ଦଳ ନାଦରେ ଗଗନ ମଣ୍ଡଳ ପ୍ରକମ୍ପିତ ହେଉଛି । ନିବିଡ଼ ଅନ୍ଧକାର ମଧ୍ୟକୁ ଗଲେ ଯେମିତି ଅନ୍ଧାରଛଡ଼ା ଅନ୍ୟ କିଛି ଦିଶେ ନାହିଁ ସେମିତି ସମସ୍ତେ କେବଳ ନବଘନ ଶ୍ୟାମସୁନ୍ଦରଙ୍କ ଶ୍ରୀମୁଖ ଦର୍ଶନ କରିବାକୁ ଆସିଛନ୍ତି । ବିଭିନ୍ନ ଦେଶର ରାଜାମାନେ ଯୁବାଯୁବତୀ ଆସି ବଡ଼ ଦାଣ୍ଡରେ ଜମା ହେଲେଣି । ପ୍ରଭୁଙ୍କ ସୁନ୍ଦର ମୂର୍ତ୍ତି ଦେଖି ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି । ପ୍ରଭୁଙ୍କ ଅପୂର୍ବ ବେଶ, ସାଜସଜ୍ଜା ଦେଖି ଆମର ଦୁର୍ଦ୍ଦଶା ଟଳିଯିବ । ପୂର୍ବାବଳି ମସ୍ତକରେ ସେଇ ଦେବାଧିଙ୍କ ଦେବରାଜ ଟେକ ଖୋଷଥିବେ-। ତାଙ୍କର ଅପୂର୍ବ ଚାହାଁଣି, ଠାଣି ଦେଖି ଆମେ ନେତ୍ର ପବିତ୍ର କରିବା । ବଡ଼ ଦାଣ୍ଡରେ ଜଗତର ଜନଙ୍କୁ ସେ ଟାକି କରି ଦେଖନ୍ତି ।

 

ହେ ସଙ୍ଗାତ, ପ୍ରଭୁଙ୍କ ଠାକୁର ପଣର ମହିମା କ’ଣ କଳି ପାରିବି ? ଚନ୍ଦନଠାରୁ ଅଧିକ ଶୀତଳ ତାଙ୍କର ଛାତି । ସମସ୍ତଙ୍କ ମନ ଜାଣି ସେ ଦୟା କରନ୍ତି । ଲୋକଙ୍କ ଗହଳଚହଳ, ଠେଲା ଠେଲିରେ ପଶି ସ୍ଥାନେ ସ୍ଥାନେ ପ୍ରଭୁ ପାଖରେ ମିଶିଯା’ନ୍ତି । ଲୋକେ ବି ତାଙ୍କୁ ଭରସା କରି ନିଜର ବେଦନାକୁ ଜଣାନ୍ତି । ଦୟାସାଗର ଜଗନ୍ନାଥ କର୍ଣ୍ଣ ଦେଇ ଭକ୍ତଙ୍କ ଡାକ ଶୁଣନ୍ତି ।

 

ଡରନ୍ତି ଯାହାର ଛାମୁ ଜଣାଣକୁ ବ୍ରହ୍ମାଦି ଦେବ ଶଙ୍କରେ

ଡାକନ୍ତି ତାହାଙ୍କୁ ଏକ ମୁଖ ହୋଇ ଦୀନ ପାପୀ ନିଃଶଙ୍କରେ ସେ

ଡାକ ଶୁଣନ୍ତି ରହି

ଡାକିବାକୁ ଭୟେ ତହିଁ ନାହିଁ ସେ । ଡୋଳେ ଦେଖିଲା ତ ଅଛି ତହିଁ ସେ

ଡାକିଲେ ହେ ରଥେ ଥାନ୍ତି ବାହି ସେ ।୧୩।

 

ଢଳ ଢଳ ଚନ୍ଦ୍ର ମଣ୍ଡଳ ଧବଳ ମେଘୁ ପ୍ରକାଶିଲା ପ୍ରାୟେ

ଢଳି ତୋରଣା ଦ୍ୱାରେ ହଳୀ ଦିଶନ୍ତେ ଦିଶେ ସବୁ ଝଳିମୟେ ସେ

ଢଳି ବିଜେ କରିବା

ଢାଳେ ସତେ ହେଁ ଦେଖି ପାରିବା ସେ । ତମେ ଅମୃତ ପାନ କରିବା ସେ

ଜଗ ପସରା ପରିହରିବା ସେ ।୧୪।

 

ଉତ୍ତମ ରଥ ଗଜ ଅଶ୍ୱ ଉତ୍ତମ ସ୍ତିରୀ ରତ୍ନ ଲକ୍ଷ୍ମୀ ପ୍ରଭା

ଆହା ସେ କ୍ଷୀର ସମୁଦ୍ରରୁ ଜନ୍ମିଲା ପ୍ରାୟେ ପାଉଥିବେ ଶୋଭା ସେ

ଇନ୍ଦ୍ର ଆଦି ଅମରେ

ଆସି ରହି ଅଧ ଆକାଶରେ ସେ । ଅଶ୍ରୁ ପୂରିତ ଆନନ୍ଦ ଭରେ ସେ

ଅନାଇ ଯେ ଥିବେ ଅତି ଧୀରେ ସେ ।୧୫।

 

ତ୍ରିପୁରାସୁର ମାରଣେ ମହାଦେବ ରଥେ ବିଜେ କଲା ପ୍ରାୟେ

ତାଳଧ୍ୱଜ ରଥ ମଣ୍ଡିବେ ସେ ତାଳଧ୍ୱଜ ବଳଦେବ ରାୟେ ସେ

ତେଜପୁଞ୍ଜ ମୂରତି

ତିନିଲୋକର ସୁଖ ସମ୍ପତ୍ତି ସେ । ତାଙ୍କ ବିନୁ ନାହିଁ ଆନ ଗତି ସେ

ତାଙ୍କୁ ଦେଖିଲେ ଲଭେ ମୁକତି ସେ ।୧୬।

 

ଥକିତ ବିଜୁଳି ସୂର୍ଯ୍ୟ ସଙ୍ଗେ ମିଳି ଉଦେ ହେଲା ପ୍ରାୟେ ହୋଇ

ଥିରେ ସୁଭଦ୍ରା ସୁଦର୍ଶନ ମଣ୍ଡିବେ ପଦ୍ମଧ୍ୱଜ ରଥେ ଯାଇଁ ସେ

ଧିରେ ରଥରେ ବସି

ଥୀରାମଣ୍ଡଳୀ ମଧୁରହାସୀ ସେ । ଥିବେ ସେବକ ପାଖରେ ମିଶି ସେ

ଥିବା ଆମ୍ଭେମାନେ ସ୍ତୁତି ଭାଷି ସେ ।୧୭।

 

ଦୁର୍ଲଭ ଦର୍ଶନ ସୁଲଭ କରି ସେ ପ୍ରଭୁ ପରମ ଈଶ୍ୱର

ଦେଖୁ ଦେଖୁ ସିଂହ ପରାୟେ ସହରେ ପାଇଯିବେ ସିଂହଦ୍ୱାର ସେ

ଦିବ୍ୟ ପଦ୍ମଚରଣ

ଦେବୀ ପଦ୍ମଆସନୀ ଶରଣ ସେ । ଦାସ ଜନଙ୍କ ଦୁଃଖ ହରଣ

ଦେବୀ ପୃଥ୍ୱୀ କରେ ଆବରଣ ସେ ।୧୮।

 

ଭାବାର୍ଥ- (୧୩-୧୮) ହେ ସଙ୍ଗାତ, ଜଗନ୍ନାଥଙ୍କ ମହିମା ଅପାର । ତାଙ୍କର ଛାମୁରେ ବ୍ରହ୍ମାଦି ଦେବ ଶଙ୍କର ଭୟ କରନ୍ତି । ଦୀନ ପାପୀ ଲୋକମାନେ କିନ୍ତୁ ନିଃଶଙ୍କ ଚିତ୍ତରେ ଏକ ମୁଖ ହୋଇ ଡାକନ୍ତି । ପ୍ରଭୁ ସେଠାରେ ରହି ଡାକ ଶୁଣନ୍ତି । ଭକ୍ତ ଭଗବାନଙ୍କୁ ଡାକିଲା ଓ ଚକ୍ଷୁରେ ଦେଖିଲା । ଧଳା ମେଘ ମଧ୍ୟରୁ ଚନ୍ଦ୍ର ପ୍ରକାଶ ପାଇଲା ପରି ହଳଧର ବଳରାମ ତୋରଣା ଢଳିଢଳି ବିଜେ କଲେ । ତାଙ୍କୁ ସତରେ ଦେଖିପାରିବା ? ପ୍ରଭୁଙ୍କୁ ଦେଖି ଅମୃତ ପାନ କରିବା ଯେମିତି । ଆମର ଦୁଃଖ ଦୂର ହେବ । ଉତ୍ତମ ରଥ, ଗଜ, ଅଶ୍ୱ, ସ୍ତ୍ରୀରତ୍ନ ଲକ୍ଷ୍ମୀଙ୍କ ପ୍ରଭା- କ୍ଷୀର ସମୁଦ୍ରରୁ ଜନ୍ମିଲା ପରି ଶୋଭା ପାଉଥିବେ । ଇନ୍ଦ୍ରପ୍ରଭୃତି ଦେବଗଣ ଅର୍ଦ୍ଧ ଆକାଶରେ ରହି ଅଶ୍ରୁପୂର୍ଣ୍ଣ ଆନନ୍ଦ ଚିତ୍ତରେ ପ୍ରଭୁଙ୍କ ଯାତକୁ ଉତ୍ସୁକତାର ସହ ଚାହିଁ ରହିଥିବେ । ତ୍ରିପୁରାସୁରକୁ ବଧ କରିବା ପାଇଁ ମହାଦେବ ରଥରେ ବିଜେ କରିବା ପରି ପ୍ରଭୁ ବଳରାମ ତାଳଧ୍ୱଜ ରଥରେ ବିଜେ କରିବେ । ତେଜପୁଞ୍ଜ ପରି ତାଙ୍କର ରୂପ । ସେ ତିନି ଲୋକର ସୁଖ ସମ୍ପତ୍ତି । ତାଙ୍କ ବିନା ଅନ୍ୟ ଗତି ନାହିଁ । ତାଙ୍କୁ ଦେଖିଲେ ଆମେ ମୁକ୍ତି ପାଇବା । ସ୍ଥକିତ ବିଜୁଳି ସୂର୍ଯ୍ୟକିରଣ ସଙ୍ଗେ ନିଶି ଉଦୟ ହେଲା ପ୍ରାୟ ଦେବୀ ସୁଭଦ୍ରା ରଥ ଉପରେ ବସି ବିଜେ କରୁଛନ୍ତି । ଧରାମଣ୍ଡନୀ, ମଧୁରହାସୀ ସେ । ସେବକମାନେ ତାଙ୍କ ପାଖରେ ରହି ସ୍ତୁତି କରୁଛନ୍ତି ।

 

ପ୍ରଭୁ ପରମ ଈଶ୍ୱର ଜଗନ୍ନାଥ । ଦେଖୁ ଦେଖୁ ସିଂହ ପ୍ରାୟେ ସିଂହଦ୍ୱାର ନିକଟରେ ଉପସ୍ଥିତ ହୋଇଯିବେ । ତାଙ୍କର ଦିବ୍ୟ ପଦ୍ମଚରଣ ତଳେ ଜଗତଜନ ଆଶ୍ରିତ ହୋଇଛନ୍ତି । ଦାସଜନଙ୍କ ଦୁଃଖ ହରଣକାରୀ ସେ । ଦେବୀ ପଦ୍ମାସନୀ ଶରଣ ସେ ।

 

ଧନ୍ୟ ଧରଣୀ ଫଣୀ ମଣି ବାସୁକି କମଠ ମଣ୍ଡକଭାବ

ଧରାଧରି ହୋଇ ବୈଷ୍ଣବବେଭାରେ ଧରନ୍ତି ଦେବଙ୍କ ଦେବ ସେ

ଧନ୍ୟ ଧନ୍ୟ ସେ ଧୂଳି

ଧୀରେ ତାଙ୍କ ଭାଗ୍ୟ ନୋହେ କଳି ସେ । ଧରି ପ୍ରଭୁଙ୍କ ବିଜୟେ ତୁଳି ସେ

ଧାଇଁ ଥା’ନ୍ତି ଧ୍ରୁବଲୋକ ବଳି ସେ ।୧୯।

ନିଶ୍ଚେ ପରଶମଣି ଗୁଣ ପ୍ରମାଣ ଲୁହାକୁ କରଇ ସୁନା

ନୀଳାଦ୍ରି ମଣ୍ଡନ ଦର୍ଶନ ପରଶ ତହିଁକି ଅଧିକ ସିନା ସେ

ନାନା ଜୀବଙ୍କ ହିତେ

ନିରାକାର ସାକାର ମତେ ସେ । ନିତ୍ୟେ ବିହରେ ନୀଳ ପର୍ବତେ ସେ

ନାନା ଯାତ୍ରା ହିଁ ସେହି ନିମନ୍ତେ ସେ ।୨୦।

ପୃଥିବୀରେ ପୂର୍ଣ୍ଣଚନ୍ଦ୍ରମା ଖେଳିବା ପ୍ରାୟେ ବିଚିତ୍ର ଦିଶିବା

ପୟ ପାରାବର ପୟରେ ସମସ୍ତେ ପୁଣିପୁଣି ପୂର୍ଣ୍ଣ କିବା ସେ

ପାରିଜାତ ବୃକ୍ଷ

ପ୍ରାୟେ ହୋଇ ଯେ ଥିବେ ପ୍ରତ୍ୟକ୍ଷ ସେ । ପୂର୍ଣ୍ଣ କରି ବାଞ୍ଛା ଲକ୍ଷ ଲକ୍ଷ ସେ

ପାପ କଷ୍ଟରୁ କରିବେ ମୋକ୍ଷ ସେ ।୨୧।

ଫଗୁଣେମାସେ ଫଗୁଖେଳ ଉଚ୍ଛବେ କାମଦେବ ବିଜେ ପ୍ରାୟେ

ଫୁଲ୍ଲାରବିନ୍ଦ ନେତ୍ର ଫୁଲି ଚାଲନ୍ତେ ଫୁରୁଣାନାହିଁ ନେତ୍ରେ ହୋୟେ ସେ

ଫୁଲ ଛତ୍ରି ଚାମର

ଫୁଲ ଆଲଟ ପଖା ଅପାର ସେ । ଫୁରୁଣାରେ ଧରିଥିବେ ନର ସେ

ଫୁଲ ବିନୋଦିଆଙ୍କ ଛାମୁର ସେ ।୨୨।

 

ବ୍ରହ୍ମାଦି ଶଙ୍କର ଦେବଙ୍କୁ ଦୁର୍ଲଭ ଯଉଁ କରୁଣା କରୁଣା କଟାକ୍ଷ

ବୃଷ୍ଟି କଲା ପ୍ରାୟେ ସୃଷ୍ଟିଯାକରେ ସେ ପଡ଼ୁଥିବ ଲକ୍ଷ ଲକ୍ଷ ସେ

ବେତ୍ର ହସ୍ତ ସେବକେ

ବେତ୍ରଧାରୀ ହୋଇ ଏକେ ଏକେ ସେ । ବେଢ଼ିଥିବେ ଚାରିପାଖ ଯାକେ ସେ

ବିଜେ କରାଉଥିବେ ନିଃଶଙ୍କେ ସେ ।୨୩।

 

ଭକ୍ତ ଜନ-ମନ-କୁମୁଦ- ଚନ୍ଦ୍ରମା ମଧୁର ହସି ଚାହିଁବା

ଭୁଜ-ଭାର ଦେଇ ଭୃତ୍ୟଙ୍କ ଉପରେ ଭଙ୍ଗିମା ହୋଇ ରହିବା ସେ

ଭଙ୍ଗି ଦେଖିବା ପାଇଁ

ଭଲେ ଜୀବନରେ ଥାଇ ଥାଇଁ ସେ । ଭାଗ୍ୟ ସତେ ଏତେ କରିଛଇଁ ସେ

ଭବ-ଭୟକୁ ଦେବା ପକାଇ ସେ ।୨୪।

 

ଭାବାର୍ଥ- (୧୯-୨୪) ହେ ସଙ୍ଗାତ, ଧନ୍ୟ ସେ ଧରଣୀମଣି ବାସୁକିର କଇଁଛ ଭାବ । ତାଙ୍କ ପୃଷ୍ଠରେ ବୈଷ୍ଣବ ବେଭାରେ ଦେବଙ୍କ ଦେବଙ୍କୁ ଧାରଣ କରିଛନ୍ତି । ଧନ୍ୟ ସେ ବଡ଼ଦାଣ୍ଡର ଧୂଳି । ତାଙ୍କ ଭାଗ୍ୟ ଅସୀମ । ତାକୁ କଳି ହେବ ନାହିଁ । ପ୍ରଭୁଙ୍କ ବିଜୟ ତୂଳି ଧରି ଧ୍ରୁବ ଲୋକଙ୍କୁ ଧାଇଁଥା’ନ୍ତି । ପ୍ରଭୁଙ୍କ ଠାରେ ପରଶମଣି ଗୁଣ ରହିଛି । ଲୁହାକୁ ତାହା ସୁନା କରିଥାଏ । ନୀଳାଦ୍ରିମଣ୍ଡନଙ୍କ ଦର୍ଶନ ତାହାଠାରୁ ଅଧିକ । ସକଳ ଜୀବଜଗତର ହିତ ପାଇଁ ନିରାକାର ପରଂବ୍ରହ୍ମ ନୀଳପର୍ବତରେ ନିତ୍ୟ ବିହାର କରନ୍ତି । ତାଙ୍କ ନିମନ୍ତେ ହିଁ ଶ୍ରୀକ୍ଷେତ୍ରରେ ଅନେକ ଯାତ୍ରା ଆୟୋଜନ ହେଉଛି ।

 

ହେ ସଙ୍ଗାତ, ପ୍ରଭୁ ନିରାକାର ଜଗନ୍ନାଥ ପୃଥିବୀରେ ପୂର୍ଣ୍ଣଚନ୍ଦ୍ର ଖେଳିବା ପରି ବିଚିତ୍ର ଦେଖାଯାଉଛନ୍ତି । କ୍ଷୀର ସମୁଦ୍ରର ପାଦ ଦେଶରେ ସମସ୍ତେ ସମବେତ ହୋଇଛନ୍ତି । ସ୍ୱୟଂ ଜଗନ୍ନାଥ ପାରିଜାତ ବୃକ୍ଷ ପ୍ରାୟ ଲକ୍ଷ ଲକ୍ଷ ଲୋକଙ୍କ ମନୋବାଞ୍ଛା ପୂର୍ଣ୍ଣ କରିବେ । ପାପ କଷ୍ଟରୁ ସେମାନଙ୍କୁ ମୁକ୍ତି ଦେବେ । ଫଗୁଣମାସରେ ଫଗୁଖେଳ ଉତ୍ସବରେ କାମଦେବ ବିଜେ କଲା ପ୍ରାୟେ ପ୍ରଭୁ ବିଜେ କରୁଛନ୍ତି । ତାଙ୍କ ପଦ୍ମନେତ୍ର ଦେଖି ଚକ୍ଷୁ ଆନନ୍ଦରେ ଫୁଲି ଉଠୁଛି । ଫୁଲ ଛତ୍ର ଚାମର ଆଲଟର ଦୃଶ୍ୟ ଅପାର । ଆନନ୍ଦରେ ଲୋକମାନେ ତାକୁ ଠାକୁରଙ୍କ ଆଗରେ ଧରିଥିବେ ।

 

ପ୍ରଭୁଙ୍କ କରୁଣାକଟାକ୍ଷ ବ୍ରହ୍ମାଦି ଶଙ୍କର ଦେବଙ୍କୁ ଦୁର୍ଲଭ । ଅଥଚ ସେ ବଡ଼ଦାଣ୍ଡରେ ସମବେତ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ବୃଷ୍ଟି କଲା ପ୍ରାୟ କରୁଣା ବୃଷ୍ଟି କରୁଛନ୍ତି । ସେବକମାନଙ୍କ ହାତରେ ବେତଧରି ଭକ୍ତମାନଙ୍କୁ ବେତରେ ଜଣଜଣଙ୍କୁ ଛୁଉଁଥିବେ । ଭକ୍ତମାନଙ୍କୁ ବେଢ଼ି ସେବକମାନଙ୍କୁ ନିଃଶଙ୍କରେ ଠାକୁରଙ୍କୁ ଦର୍ଶନ କରାଉଥିବେ । ପ୍ରଭୁଙ୍କ ବେଢ଼ି ବିଜେ କରାଉଥିବେ । ଭକ୍ତଜନ ମନର କୁମୁଦ ଚନ୍ଦ୍ରମା ପ୍ରଭୁ, ମଧୁର ହସର ଚାହାଁଣି ତାଙ୍କର । ସେବକଙ୍କ ଭୁଜ ଉପରେ ଭାରାଦେଇ ପ୍ରଭୁ ଭଙ୍ଗିମା ହୋଇ ରହିଛନ୍ତି । ତାଙ୍କର ଭଙ୍ଗି ଦେଖିବାକୁ ମୁଁ କ’ଣ ଜୀବନରେ ଥିବି ? ମୁଁ କ’ଣ ସତରେ ଏତେ ଭାଗ୍ୟ କରିଛି । ଯାହା ଫଳରେ ଭବ-ଭୟରୁ ମୁକ୍ତି ପାଇବି ।

 

ମେରୁ ପର୍ବତକୁ ସୂର୍ଯ୍ୟ ପରିକ୍ରମା କଲାପ୍ରାୟେ ରଥ ବୁଲି

ମହିମା ସମୁଦ୍ର ପାରକୁ ଉଠିବା ମତ୍ତ ଗଜ ପ୍ରାୟେ ବୋଲି ସେ

ମହା ସୁଖ ଦେଖିବା

ମନୁ ସବୁ ଦୁଃଖ ଉପେକ୍ଷିବା ସେ । ମହୀ ମଣ୍ଡଳେ ଯଶ ରଖିବା ସେ

ମୃତ୍ୟୁ ଭୟ ଦୁଃଖ ଲେଖିବା ସେ ।୨୫।

 

ଯେତେବେଳେ ଚକ ଅପସର ହୋଇ ଲୋକଙ୍କୁ ଦିଅନ୍ତି ଦୃଷ୍ଟି

ଜଗତ ଯାକରେ ଏକା ଲାଗ କରେ ହୋଅଇ ଅମୃତ ବୃଷ୍ଟି ସେ

ଜଗ-ମୋହନ ମୂର୍ତ୍ତି

ଜାତ କରାଇ ସୁଖ ସମ୍ପତ୍ତି ସେ । ଜଗତକୁ ଦେଇ ଏକା ଗତି ସେ

ଜ୍ୟୋତି ମଣ୍ଡଳରେ ବି ଦିଶନ୍ତି ସେ ।୨୬।

 

ରାଜୀବନୟନ ଶ୍ରୀମୁଖ ସିଂହାର ବଢ଼ାଇ ଅତି ସଧୀରେ

ରଙ୍ଗ ଅଧରେ ମନ୍ଦରେ ହସି ବିଜୟେ କରିବା ସଜ ଲାଗିରେ ସେ

ରୁଚି ରୁଚିର ବେଶ

ରଙ୍ଗେ ହୋଇଥିବ ପୀତବାସ ସେ । ରହି ଅନାଇ ଥିବେ ତ୍ରିଦଶ ସେ

ରସି ଥିବ ସବୁର ମାନସ ସେ ।୨୭।

 

ରକ୍ଷ୍ୟ ରହିତ ବେଶକୁ ତ ସହଜେ ଲକ୍ଷ ଅଂଶେ ଲକ୍ଷ ନାହିଁ

ଲଲାଟ ପଟ ସ୍ୱର୍ଣ୍ଣଚିତା କର୍ପୂର ଭ୍ରୂଲତାକୁ ଲକ୍ଷ୍ୟ କାହିଁ ସେ

ଲକ୍ଷ ତାହାକୁ ସେହି

ଲୋକ କହିବାକୁ ଲୋକେ ନାହିଁ ସେ । ଲୋଭେ ଲୋଡ଼ିଲେ ପାଇବା କାହିଁ ସେ

ଲୋଡ଼ି ଲୋଚନକୁ ଦେବା କହି ସେ ।୨୮।

 

ବୀର ବେଶରେ ବୀରଛତୀ ଧରାଇ ବୀର ଆସନେ ବସିବା

ବିକ୍ରମ କେଶରୀ ବିକ୍ରମିଲା ପ୍ରାୟେ ବିସ୍ତାରି ଦିଶିବା ସେ

ବୀରବରଙ୍କ ବର

ବୀର କେଦାରେ ମଣ୍ଡିତ ଶିର ସେ । ବୀରବାନା ବିରାଜିତ କର ସେ

ବୀର ବାହୁରେ ମଣ୍ଡିତ ପୁର ସେ ।୨୯।

 

ସ୍ୱର୍ଗରୁ ଇନ୍ଦ୍ର ଅଇଲା ପ୍ରାୟେ ଆସ ନୃପଇନ୍ଦ୍ର ସେବା ସାରି

ଶାଢ଼ି ପାଇ ଶୁଭେ ବିଜେ କରିଥିବେ ଗହଣକୁ ଅନୁସରି ସେ

ସଙ୍ଗେ ଥିବେ ସମସ୍ତେ

ଷୋଳ ସନ୍ତାନ ନିଯୋଗ ଯେତେ ସେ । ସମତ୍ତ ଗଜ ଅଶ୍ୱ ସହିତେ ସେ

ସଂଖ୍ୟା କରିବା ପଦାନ୍ତି କେତେ ସେ ।୩୦।

 

ଭାବାର୍ଥ- (୨୫-୩୦) ହେ ସଙ୍ଗାତ, ମେରୁପର୍ବତକୁ ସୂର୍ଯ୍ୟ ପରିକ୍ରମା କଲା ପରି ରଥ ମହିମା ସମୁଦ୍ର ପାରକୁ ଉଠିବା ଦେଖିବା, ମହାସୁଖ ପାଇବା । ମନ ମଧ୍ୟରୁ ସବୁ ଦୁଃଖକୁ ଦୂର କରିବା । ମୃତ୍ୟୁଭୟ ଦୁଃଖ ରହିବ ନାହିଁ । ଯେତେବେଳେ ରଥ ଚକ ଗଡ଼ିଯାଏ, ଠାକୁର ଲୋକଙ୍କୁ ଦୃଷ୍ଟି ଦିଅନ୍ତି । ସମଗ୍ର ଜଗତ ବକ୍ଷେର ଏକାଥରକେ ଅମୃତ ବୃଷ୍ଟି କରନ୍ତି । ସେ ଜଗମୋହନ, ସୁଖ ସମ୍ପତ୍ତି ଜାତ କରାଇ ଜଗତଜନଙ୍କୁ ଗତିମୁକ୍ତ ପ୍ରଦାନ କରନ୍ତି । ଜ୍ୟୋତି ମଣ୍ଡଳରେ ବିଦ୍ୟମାନ ଥଆନ୍ତି । ରାଜୀବ ନୟନ, ଶ୍ରୀମୁଖ ସିଂହାର ପ୍ରଭୁ ଜଗନ୍ନାଥ ସୁନ୍ଦର ପୀତବାସ ବେଶ ଧାରଣ କରିଥିବେ । ଚାରିଆଡ଼େ ଚାହିଁ ସଭିଙ୍କ ମନକୁ ମୋହିତ କରିବେ । ପ୍ରଭୁଙ୍କ କମନୀୟ ବେଶ ଜଗତକୁ ମୋହୁଛି । ଲକ୍ଷ ଲକ୍ଷ ବେଶ ରୂପ ତାଙ୍କ, କେଉଁଟାକୁ ତାଙ୍କର ଲକ୍ଷ୍ୟ ନାହିଁ । ଲଲାଟ ପଟରେ ସ୍ୱର୍ଣ୍ଣଚିତା, ଭ୍ରୂଲତାରେ କର୍ପୂର ଚିତା ରହିଛି- ଏ ସବୁକୁ କାହିଁକି ଦୃଷ୍ଟି ଦେବେ । ସେ ହିଁ ତାଙ୍କର ଉପମା । ତାଙ୍କର ଶୋଭା ବର୍ଣ୍ଣନା କରିବାକୁ ସଂସାରରେ ଲୋକ କାହାନ୍ତି ? ଆଖିରେ ଯାହା ଦେଖିବା କଥା । ଠାକୁରଙ୍କୁ ବୀର ବେଶରେ ସଜାଇ, ବୀର ଛତ୍ରୀ ଧରାଇ, ବୀର ଆସନରେ ବସାଇବା ଦୃଶ୍ୟ ଦେଖି ଆମ ମନ ଖୁସିରେ ନାଚିବ । ସେ ବୀର ବେଶ ଧାରଣ କରି ବିକ୍ରମକେଶରୀ ବିକ୍ରମ ପ୍ରକାଶ କଲାପରି ଦେଖାଯିବେ । ବୀରମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠ ବର । ତାଙ୍କ ହାତରେ ବୀରବାନା ବିରାଜମାନ କରୁଛି । ସ୍ୱର୍ଗରୁ ଇନ୍ଦ୍ର ଆସିଲା ପରି ଜଗନ୍ନାଥ ପୃଥିବୀ ପୃଷ୍ଠକୁ ରାଜାଙ୍କ ସେବା ପାଇଁ ଆସିଥିବେ । ଲୋକଙ୍କ ଗହଣକୁ ଅନୁସରି ଶାଢ଼ି ପାଇ ସୁଖରେ ବିଜେ କରିଥିବେ । ସଙ୍ଗରେ ସମସ୍ତେ ଥିବେ । ସମସ୍ତ ନିଯୋଗ ଗଜ, ଅଶ୍ୱ ସହିତ ଆସିବେ-ସେ ସଂଖ୍ୟା କେତେ କହିବା ?

 

ସେ ତ ସୁନ୍ଦର ସକଳ ଗୁଣେ ସାର ଉଚ୍ଚୈଶ୍ରବା ସହୋଦର

ସହବ ସୁଗ୍ରୀବ ମେଘପୁଷ୍ପ ବଲହକ ନାମ ଯାହାଙ୍କର ସେ

ଚାରି ଅଶ୍ୱଙ୍କୁ ଯୋଚି

ସବ୍ୟ ଅସବ୍ୟ ବାଗକୁ ଆଞ୍ଚ ସେ । ଶଏ ପାଞ୍ଚଣ ଦଣ୍ଡକୁ ସଞ୍ଚି ସେ

ଶୀଘ୍ରେ ସାରଥି ରହିବା ଆଞ୍ଚି ସେ ।୩୧।

 

ଶ୍ରବଣ ମଙ୍ଗଳ ଜଗନ୍ନାଥ ହସି ବଳଦେବଙ୍କୁ ଅନାଇଁ

ଶୁଭେ ଆଗେ ବିଜେକର ବୋଲିବାରୁ ବିଜେ କରିବେ ଗୋସାଇଁ ସେ

ସଙ୍ଗେ ସୁଭଦ୍ରା ଯିବେ

ଶତ ଶତ ଘଣ୍ଟାଦି ବାଜିବେ। ସେ ଶୀଘ୍ରେ ଲୋକେ ପାଖେ ଆଉଯିବେ ସେ

ସେହି ସଙ୍ଗରେ ପ୍ରଭୁ ସାଜିବେ ସେ ।୩୨।

 

ହା ହା ହୀ କରି ଅଶ୍ୱଙ୍କୁ ଆବୋରି ସେ ସାରଥି ଉଞ୍ଚେ ଡାକିବା

ହସ୍ତକୁ ବୁଲାଇ ବିକଟାଳ ହୋଇ ବକ୍ରଗୀତ ଉକୁଟିବା ସେ

ହରି ଧ୍ୱନି ଛାଡ଼ିବା

ହାଥେ ହାଥେ ଦଉଡ଼ି ଭିଡ଼ିବା ସେ । ହରଷରେ କେ କର ପୋଡ଼ିବା ସେ

ହସ ଶ୍ରୀମୁଖେ ନେତ୍ର ପଡ଼ିବା ସେ ।୩୩।

 

କ୍ଷିତିପତି ଶିର ଲଗାଇ ପଛରେ ସଧିର କରି ପେଲିବା

କ୍ଷୀର ସମୁଦ୍ରରେ ସୁବର୍ଣ୍ଣ ବୋଇତ ପ୍ରାୟେ ରଥଙ୍କ ଚାଲିବା ସେ

କ୍ଷମା ସାଗର ଲୀଳା

କ୍ଷୋଭସିନ୍ଧୁ ତରିବାକୁ ଭେଳା ସେ । କ୍ଷୟ କରେ ମହାପାପ କଳା ସେ

କ୍ଷନ୍ଦେ ଦୀନକୃଷ୍ଣିଆ ବାଉଳା ସେ ।୩୪।

 

ଭାବାର୍ଥ- (୩୧-୩୪) ହେ ସଙ୍ଗାତ, ପ୍ରଭୁ ଜଗନ୍ନାଥ ସକଳ ଗୁଣରେ ସୁନ୍ଦର । ଭାଇଙ୍କୁ ସଙ୍ଗରେ ନେଇ ଆସୁଛନ୍ତି । ଚାରି ଘୋଡ଼ାଙ୍କୁ ଯୋଚି ସାରଥି ଆସିଲାଣି । ସବ୍ୟ (ବାମ) ଅସବ୍ୟ (ଡାହାଣ) ବାଗକୁ ଆଞ୍ଚି ଆସିଥିବେ । ପ୍ରଭୁ ଜଗନ୍ନାଥ ହସିକରି ଜ୍ୟେଷ୍ଠଭ୍ରାତ ବଳରାମଙ୍କୁ ଚାହିଁଲେ । ଶୁଭେ ଆଗେ ବିଜେ କର, ସଙ୍ଗରେ ସୁଭଦ୍ରା ଯିବେ । ଶହ ଶହ ଘଣ୍ଟ, କାହାଳୀ ପ୍ରଭୃତି ବାଜିବ । ପ୍ରଭୁ ଶୀଘ୍ର ଲୋକଙ୍କ ନିକଟକୁ ଯିବେ । ଲୋକଙ୍କ ସଙ୍ଗରେ ସେ ଏକାକାର ହୋଇଯିବେ । ସାରଥି ହା ହା ହୀ କରି ଘୋଡ଼ାଙ୍କୁ ଉଚ୍ଚରେ ଡାକୁଥିବେ । ଲୋକଙ୍କ ବୁଲାଇ ବିକଟାଳ ହୋଇ ଢଗଗୀତ ମେଲୁଥିବ । ଲୋକଙ୍କ ହରି ଧ୍ୱନିରେ ବଡ଼ଦାଣ୍ଡ ଉଛୁଳି ପଡ଼ିବ । ହାତରେ ଧିଉଡ଼ି ଟାଣିବା, ଆନନ୍ଦରେ ଦଉଡ଼ି ଉପରେ କିଏ ହାତ ପକାଇବା, ପ୍ରଭୁଙ୍କ ହସ ହସ ଶ୍ରୀମୁଖ ଦେଖିଲେ ଆମ ନେତ୍ର ପବିତ୍ର ହୋଇଯିବ । ଜଗତର ନାଥଙ୍କ ଶିରରେ ହାତ ଦେଇ ପଛରୁ ଧୀର ଭାବରେ ରଥକୁ ପେଲିବା ବେଳର ଦୃଶ୍ୟ କ୍ଷୀର ସମୁଦ୍ର ମଧ୍ୟରେ ସୁବର୍ଣ୍ଣ ବୋଇତ ଭାସିଲା ପରି ଦେଖାଯାଉଛି । ପ୍ରଭୁ କ୍ଷମାସାଗର । ତାଙ୍କ ଲୀଳାର ପଟାନ୍ତର ନାହିଁ । ଦୁଃଖରୂପକ ସାଗରରୁ ତରିବାକୁ ସେ ଭେଳା ସଦୃଶ । ତାଙ୍କର ଦୟା ମହାପାପ ଦୂର କରେ ।

Image